ଯିହୋବାଙ୍କ ସାକ୍ଷୀ ସେମାନଙ୍କ ପାଖକୁ କାହିଁକି ଯାଆନ୍ତି, ଯେଉଁମାନେ ଅନ୍ୟ କୌଣସି ଧର୍ମକୁ ମାନନ୍ତି ?
ଆମେ ଦେଖିଛୁ ଯେ ଏପରି ଅନେକ ଲୋକେ ଯେଉଁମାନେ ଆଗରୁ ଗୋଟିଏ ଧର୍ମରେ ଥାʼନ୍ତି, ସେମାନେ ବାଇବଲ ଆଧାରିତ ବିଷୟଗୁଡ଼ିକ ଉପରେ କଥା ହେବା ପାଇଁ ଭଲ ପାଆନ୍ତି । ହଁ, ଆମଠାରୁ ଭିନ୍ନ ବିଶ୍ୱାସକୁ ମାନୁଥିବା ଜଣେ ବ୍ୟକ୍ତିଙ୍କର ଅଧିକାରକୁ ଆମେ ସମ୍ମାନ ଦେଇଥାଉ ଏବଂ ଆମର ବାର୍ତ୍ତା ଶୁଣିବା ପାଇଁ ଅନ୍ୟମାନଙ୍କୁ କେବେ ବାଧ୍ୟ କରି ନ ଥାଉ ।
ଯେତେବେଳେ ଆମେ ଧର୍ମ ବିଷୟରେ ଆଲୋଚନା କରୁ, ଆମେ ବାଇବଲର ପରାମର୍ଶକୁ ଲାଗୁ କରିବା ପାଇଁ ଚେଷ୍ଟା କରିଥାଉ । ଆମେ ଅନ୍ୟମାନଙ୍କ ସହିତ “ଶ୍ରଦ୍ଧାର ସହ” ଏବଂ “ଭଦ୍ର ଭାବରେ” ଆଲୋଚନା କରିଥାଉ । (୧ ପିତର ୩:୧୫, NIBV) ଆମେ ଜାଣୁ ଯେ କିଛି ଲୋକ ଆମର ବାର୍ତ୍ତାକୁ ଆଦୌ ଶୁଣିବେ ନାହିଁ । (ମାଥିଉ ୧୦:୧୪) କିନ୍ତୁ, ଯେପର୍ଯ୍ୟନ୍ତ ଆମେ ଲୋକମାନଙ୍କ ସହିତ କଥା ନ ହେଉ, ଆମେ ଜାଣିପାରି ନ ଥାଉ ଯେ ସେମାନେ କିପରି ପ୍ରତିକ୍ରିୟା ଦେଖାଇବେ । ଏହା ଛଡ଼ା, ଆମେ ଦେଖୁ ଯେ ଲୋକମାନଙ୍କର ପରିସ୍ଥିତି ମଧ୍ୟ ସମୟକ୍ରମେ ବଦଳିଥାଏ ।
ଉଦାହରଣସୂରୂପ, ଜଣେ ବ୍ୟକ୍ତି ହୁଏତ ଦିନେ ଖୁବ୍ ବ୍ୟସ୍ତ ଥାଇପାରନ୍ତି ଏବଂ ଆମ ସହ କଥା ହେବା ପାଇଁ ତାଙ୍କ ପାଖରେ ସମୟ ନ ଥାଇପାରେ । କିନ୍ତୁ ସେ ହୁଏତ ଅନ୍ୟ କେବେ ଆମ ସହ କଥା ହେବା ପାଇଁ ପ୍ରସ୍ତୁତ ହୋଇପାରନ୍ତି । ତାʼ ଛଡ଼ା, ଲୋକଙ୍କ ଜୀବନରେ ହୁଏତ ନୂଆ ନୂଆ ସମସ୍ୟା କିମ୍ବା ଭିନ୍ନ ପରିସ୍ଥିତି ଦେଖାଦେଇପାରେ, ଯେଉଁଗୁଡ଼ିକର ସାମନା ସେମାନଙ୍କୁ କରିବାକୁ ହିଁ ପଡ଼ିଥାଏ । ଏଭଳି ସମୟରେ ସେମାନେ ହୁଏତ ବାଇବଲର ବାର୍ତ୍ତା ପ୍ରତି ଆଗ୍ରହ ଦେଖାଇପାରନ୍ତି । ତେଣୁ ଆମେ ଲୋକମାନଙ୍କୁ କେବଳ ଥରେ ନୁହଁ, ବରଂ ଆହୁରି ଅନେକ ଥର ଭେଟିବାକୁ ଚେଷ୍ଟା କରିଥାଉ ।