କʼଣ ଆପଣ ଜାଣନ୍ତି ?
ପ୍ରାଚୀନ ସମୟରେ ଇସ୍ରାଏଲୀୟମାନେ କିପରି ନିର୍ଦ୍ଧାରିତ କରୁଥିଲେ ଯେ କୌଣସି ମାସ କିମ୍ବା ବର୍ଷ କେବେ ଆରମ୍ଭ ହେବ ?
ଯେବେ ଇସ୍ରାଏଲୀୟମାନେ ପ୍ରତିଜ୍ଞାତ ଦେଶରେ ରହୁଥିଲେ, ତେବେ ସେମାନଙ୍କ କୃଷି ବର୍ଷ ସେସମୟରେ ଆରମ୍ଭ ହେଉଥିଲା, ଯେବେ ସେମାନେ ହଳ କରୁଥିଲେ ଓ କ୍ଷେତରେ ବୀଜ ବୁଣୁଥିଲେ । ଆମ କ୍ୟାଲେଣ୍ଡର ହିସାବରେ ଏହା ସେପ୍ଟେମ୍ବରରୁ ଅକ୍ଟୋବର ମାସ ମଝିର ସମୟ ଅଟେ ।
ଯିହୁଦୀ ଲୋକମାନେ ସୂର୍ଯ୍ୟର ହିସାବରେ ନିର୍ଦ୍ଧାରିତ କରୁଥିଲେ ଯେ ଏକ ବର୍ଷ କେତେ ଲମ୍ବା ସମୟ ହେବ । କିନ୍ତୁ ମାସକୁ ସେମାନେ ଚନ୍ଦ୍ର ହିସାବରେ ନିର୍ଦ୍ଧାରିତ କରୁଥିଲେ । ସେମାନଙ୍କ ଏକ ମାସ ନୂଆ ଚନ୍ଦ୍ର ଦେଖାଯିବାରୁ ଆରମ୍ଭ ହୋଇ ପରବର୍ତ୍ତୀ ନୂଆ ଚନ୍ଦ୍ର ଦେଖାଯିବା ପର୍ଯ୍ୟନ୍ତ ଚାଲୁଥିଲା । ଏପରି ଭାବେ ଗୋଟିଏ ମାସ ୨୯ରୁ ୩୦ ଦିନର ରହୁଥିଲା । କିନ୍ତୁ ଏହାର ହିସାବରେ ୧୨ ମାସ ପୂରା ହେବା ପରେ ମଧ୍ୟ ଏକ ବର୍ଷ ପୂରା ହେଉ ନ ଥିଲା, କିଛି ଦିନ କମ୍ ପଡ଼ିଯାଉଥିଲା । ଏହି ଅନ୍ତରକୁ ଦୁଇଟି ଉପାୟରେ ଠିକ୍ କରାଯାଇପାରନ୍ତା । ଗୋଟିଏ ହେଲା ୧୨ ମାସର ପୂରା ହେଲା ପରେ କିଛି ଦିନ ଯୋଡ଼ିକି ସେମାନେ ଏକ ବର୍ଷ ପୂରା କରିପାରନ୍ତେ । ନହେଲେ ପ୍ରତି ଦୁଇ କିମ୍ବା ତିନି ବର୍ଷରେ ୧୨ତମ ମାସର ପରେ ଆଉ ଗୋଟିଏ ମାସ ଯୋଡ଼ିପାରନ୍ତେ । ଏପରି ଭାବେ ସେମାନେ ଜାଣିପାରୁଥିଲେ ଯେ କେଉଁ ମାସରେ କିପରି ପାଣିପାଗ ରହିବ । ଆଉ ତେବେ ସେମାନେ କେଉଁ ବୀଜ ବୁଣିବେ କିମ୍ବା କେଉଁ ଫସଲ ଅମଳ କରିବେ ।
ମୋଶାଙ୍କ ସମୟରେ ଈଶ୍ୱର ନିଜ ଲୋକମାନଙ୍କୁ କହିଥିଲେ ଯେ ଆବୀବ୍ (କିମ୍ବା ନୀସନ୍) ମାସରେ ସେମାନଙ୍କ ପବିତ୍ର ବର୍ଷ ଆରମ୍ଭ ହେବ । ଏହି ମାସ ବସନ୍ତରେ ପଡ଼ୁଥିଲା (ଅର୍ଥାତ୍ ଆମ କ୍ୟାଲେଣ୍ଡର ହିସାବରେ ମାର୍ଚ୍ଚରୁ ଏପ୍ରିଲ୍ ମାସ ମଧ୍ୟରେ) । (ଯାତ୍ରା ପୁସ୍ତକ ୧୨:୨; ୧୩:୪) ଏହି ମାସରେ ଯବ ଅମଳ ହେଉଥିଲା ଏବଂ ଲୋକେ ଏହି ଖୁସିରେ ପର୍ବ ପାଳନ କରୁଥିଲେ ।—ଯାତ୍ରା. ୨୩:୧୫, ୧୬.
ଇମିଲ ସୁରର୍ ନାମକ ଜଣେ ବିଦ୍ୱାନ୍ ନିଜ ବହିରେ a ଲେଖିଲେ ଯେ ଯିହୁଦୀମାନେ ନୀସନ୍ ମାସର (୧୪ ତାରିଖରେ) ନିସ୍ତାର ପର୍ବ ପାଳନ କରୁଥିଲେ ଓ ଏହା ପୂର୍ଣ୍ଣିମା ଦିନରେ ପାଳନ କରାଯାଉଥିଲା । ଏହାଛଡ଼ା ସେମାନେ ଆଉ ଗୋଟିଏ କଥାର ଧ୍ୟାନ ରଖୁଥିଲେ । ବସନ୍ତ ମାସରେ ଗୋଟିଏ ଦିନ ଏପରି ରହେ, ଯେବେ ଦିନ ୧୨ ଘଣ୍ଟା ଓ ରାତି ୧୨ ଘଣ୍ଟାର ଥାଏ । ଇମିଲ ସୁରର୍ କହନ୍ତି, ‘ନିସ୍ତାର ପର୍ବ ସେହି ଦିନ ପରେ ପାଳନ କରାଯାଉଥିଲା । ଯଦି କୌଣସି ବର୍ଷର ଶେଷରେ ଦେଖାଯାଉଥିଲା ଯେ ପର୍ବର ତାରିଖ ସେହି ଦିନର ପୂର୍ବରୁ ପଡ଼ୁଛି, ତେବେ ଯିହୁଦୀମାନେ ସେହି ବର୍ଷର ଶେଷରେ ଏବଂ ନୀସନ୍ ମାସର ପୂର୍ବେ ୧୩ତମ ମାସ ଯୋଡ଼ି ଦେଉଥିଲେ । ଏହି କଥାଗୁଡ଼ିକୁ ଧ୍ୟାନରେ ରଖି ଯିହୁଦୀମାନେ ନିର୍ଦ୍ଧାରିତ କରୁଥିଲେ ଯେ ସେମାନଙ୍କୁ କୌଣସି ବର୍ଷରେ ୧୩ତମ ମାସ ଯୋଡ଼ିବାର ଅଛି ନା ନାହିଁ ।’
ଏହି କଥାଗୁଡ଼ିକୁ ଧ୍ୟାନରେ ରଖି ଯିହୋବାଙ୍କ ସାକ୍ଷୀମାନେ ନିର୍ଦ୍ଧାରିତ କରନ୍ତି ଯେ ଖ୍ରୀଷ୍ଟଙ୍କ ମୃତ୍ୟୁର ସ୍ମାରକ ଦିବସ କେଉଁ ତାରିଖରେ ପଡ଼ିବ । ଏହା ବସନ୍ତ ଋତୁରେ ହେବା ଉଚିତ୍ ଏବଂ ଏବ୍ରୀ କ୍ୟାଲେଣ୍ଡର ହିସାବରେ ନୀସନ୍ ୧୪ ତାରିଖରେ ହେବା ଉଚିତ୍ । ଏହି ତାରିଖକୁ ବହୁତ ପୂର୍ବରୁ ପୂରା ଦୁନିଆର ସବୁ ମଣ୍ଡଳୀଗୁଡ଼ିକୁ ଜଣାଇ ଦିଆଯାଏ । b
ଯିହୁଦୀ ଲୋକମାନଙ୍କୁ କିପରି ଜଣାପଡ଼ୁଥିଲା ଯେ କେଉଁ ମାସ କେବେ ଆରମ୍ଭ ହେବ । ଆଜି ଆମେ ଫୋନ୍ କିମ୍ବା କ୍ୟାଲେଣ୍ଡର ଦେଖି ଜାଣିପାରୁ, କିନ୍ତୁ ସେହି ସମୟରେ ଏହା ଜାଣିବା ଏତେ ସହଜ ନ ଥିଲା ।
ନୋହଙ୍କ ସମୟରେ ଯେବେ ଜଳପ୍ଳାବନ ଆସିଲା, ତେବେ ବିଶ୍ୱାସ କରାଯାଉଥିଲା ଯେ ପ୍ରତି ମାସରେ ୩୦ ଦିନ ରହୁଥିଲା । (ଆଦି. ୭:୧୧, ୨୪; ୮:୩, ୪) କିନ୍ତୁ ଆଗକୁ ଯାଇ ଯିହୁଦୀମାନଙ୍କ ଏବ୍ରୀ କ୍ୟାଲେଣ୍ଡରରେ ପ୍ରତି ମାସ ୩୦ ଦିନର ନ ଥିଲା । ସେମାନଙ୍କ ମାସ ତେବେ ଆରମ୍ଭ ହେଉଥିଲା, ଯେବେ ସେମାନଙ୍କୁ ନୂଆ ଚନ୍ଦ୍ର ପ୍ରଥମ ଥର ଦେଖାଯାଉଥିଲା । ଏପରି ଭାବେ ଗୋଟିଏ ମାସରେ ୨୯ କିମ୍ବା ୩୦ ଦିନ ରହୁଥିଲା ।
ବାଇବଲରେ କୁହାଯାଇଛି ଯେ ଥରେ ଦାଉଦ ଯୋନାଥନଙ୍କ ସହ ନୂଆ ମାସ ବିଷୟରେ କଥା ହେବା ବେଳେ କହିଲେ, “କାଲି ନୂଆ ଚନ୍ଦ୍ରର ଦିନ ଅଟେ ।” (୧ ଶାମୁ. ୨୦:୫, ୧୮, NWT) ଏହାର ଅର୍ଥ ଖ୍ରୀଷ୍ଟ ପୂର୍ବ ଏକାଦଶ ଶତାବ୍ଦୀ ଯାଏ ଯିହୁଦୀମାନେ ଆଗରୁ ଜାଣିପାରୁଥିଲେ ଯେ ମାସ କେବେ ଆରମ୍ଭ ହେବ । ଆମକୁ ଠିକ୍ ଠିକ୍ ତ ଜଣାନାହିଁ ଯେ ସେମାନେ ଏହା କିପରି ଜାଣିପାରୁଥିଲେ । କିନ୍ତୁ ମସ୍ନା ନାମକ ବହିରୁ ଆମକୁ ଏବିଷୟରେ କିଛି କଥା ଜଣାପଡ଼େ । ଏହା ଯିହୁଦୀମାନଙ୍କର ଗୋଟିଏ ବହି ଅଟେ, ଯେଉଁଥିରେ ଅନେକ କଥିତ ପରମ୍ପରାଗୁଡ଼ିକ ଲେଖାଅଛି । ଏହାକୁ ପଢ଼ିଲେ ଜଣାପଡ଼େ ଯେ ଯିହୁଦୀମାନେ ବାବିଲରୁ ଫେରି ଆସିବା ପରଠାରୁ ଯିହୁଦୀମାନଙ୍କର ମହାସଭା (ଯିହୁଦୀମାନଙ୍କର ସବୁଠୁ ବଡ଼ ଅଦାଲତ) ନିର୍ଦ୍ଧାରିତ କରିବାକୁ ଲାଗିଲା ଯେ କେଉଁ ମାସ କେବେ ଆରମ୍ଭ ହେବ । ଯେଉଁ ସାତ ମାସଗୁଡ଼ିକରେ ପର୍ବ ରହୁଥିଲା, ସେହି ମାସଗୁଡ଼ିକର ୩୦ତମ ଦିନ ମହାସଭାର ସଦସ୍ୟମାନେ ଏକାଠି ହେଉଥିଲେ ଏବଂ ଦେଖୁଥିଲେ ଯେ କେବେ ନୂଆ ମାସ ଆରମ୍ଭ କରିବା ଠିକ୍ ରହିବ । ସେମାନେ ଏହା କିପରି ନିର୍ଦ୍ଧାରିତ କରୁଥିଲେ ?
ଯିରୂଶାଲମର ଆଖପାଖରେ କିଛି ଲୋକମାନଙ୍କୁ ପାହାଡ଼ ଏବଂ ଅନ୍ୟ ଉଚ୍ଚ ଜାଗାଗୁଡ଼ିକ ଉପରେ ପଠାଇ ଦିଆଯାଉଥିଲା ଏବଂ ସେମାନେ ରାତିରେ ଆକାଶକୁ ଚାହିଁ ରହୁଥିଲେ । ଯେବେ ସେମାନଙ୍କୁ ନୂଆ ଚନ୍ଦ୍ର ଦେଖାଯାଉଥିଲା, ସେମାନେ ତୁରନ୍ତ ଯାଇ ମହାସଭାକୁ ଏହି ଖବର ଦେଉଥିଲେ । ଯେବେ କିଛି ଲୋକମାନଙ୍କ କଥାରୁ ନିଶ୍ଚିତ ହୋଇଯାଉଥିଲା ଯେ ନୂଆ ଚନ୍ଦ୍ର ବାହାରି ଆସିଛି, ତେବେ ମହାସଭା
ଘୋଷଣା କରି ଦେଉଥିଲା ଯେ ନୂଆ ମାସ ଆରମ୍ଭ ହୋଇଯାଇଛି । କିନ୍ତୁ ଯଦି ମେଘ କିମ୍ବା କୁହୁଡ଼ି ଯୋଗୁଁ ନୂଆ ଚନ୍ଦ୍ର ଦେଖାଯାଉ ନ ଥିଲା, ତେବେ ମହାସଭା ଘୋଷଣା କରୁଥିଲା ଯେ ଯେଉଁ ମାସ ଚାଲୁଛି ସେଥିରେ ୩୦ ଦିନ ଅଛି ଏବଂ ତାʼପର ଦିନଠୁ ନୂଆ ମାସ ଆରମ୍ଭ ହୋଇଯିବ ।ମସ୍ନାରେ କୁହାଯାଇଛି ଯେ ଯେବେଠୁ ମହାସଭା ଘୋଷଣା କରିଦେଉଥିଲା ଯେ ନୂଆ ମାସ ଆରମ୍ଭ ହୋଇଯାଇଛି ତେବେ ଯିରୂଶାଲମର ପାଖରେ ଥିବା ଜୀତ ପର୍ବତ ଉପରେ ନିଆଁ ଜଳାଇ ଏହାର ସଙ୍କେତ ଦିଆଯାଉଥିଲା । ସମଗ୍ର ଇସ୍ରାଏଲର ଅନ୍ୟ ଉଚ୍ଚ ଜାଗାଗୁଡ଼ିକରେ ମଧ୍ୟ ନିଆଁ ଜଳାଇ ଲୋକମାନଙ୍କୁ ଏହି କଥାର ଖବର ଦିଆଯାଉଥିଲା । ଏହି ଖବର ଯେପରି ସମସ୍ତଙ୍କୁ ମିଳୁ ତାʼପାଇଁ ଆଗକୁ ଯାଇ କିଛି ଦୂତମାନଙ୍କୁ ଅଲଗା ଅଲଗା ଜାଗାକୁ ପଠାଇ ଦିଆଯାଉଥିଲା । ଏପରି ଭାବେ ଯିରୂଶାଲମ ଆଉ ଅନ୍ୟ ଜାଗାଗୁଡ଼ିକରେ ରହୁଥିବା ସବୁ ଯିହୁଦୀମାନଙ୍କୁ ଜଣାପଡ଼ି ଯାଉଥିଲା ଯେ ନୂଆ ମାସ ଆରମ୍ଭ ହୋଇଯାଇଛି । ଆଉ ସବୁ ଲୋକମାନେ ଏକା ସମୟରେ ପର୍ବ ପାଳନ କରିପାରୁଥିଲେ ।
ଏଠାରେ ଦିଆଯାଇ ଥିବା ଚାର୍ଟରୁ ଆପଣ ଜାଣିପାରିବେ ଯେ ଯିହୁଦୀମାନେ କେଉଁ ମାସରେ କେଉଁ ପର୍ବ ପାଳନ କରୁଥିଲେ ଓ ସେହି ସମୟରେ କିପରି ପାଣିପାଗ ରହୁଥିଲା ।
a ଦି ମିଷ୍ଟ୍ରି ଅଫ୍ ଦ ଯୁଇସ୍ ପିପଲ ଅନ୍ ଦି ଏଜ୍ ଅଫ୍ ଜିଶେସ୍ ଖ୍ରାଇଷ୍ଟ (୧୭୫ ବି.ସି-ଏ.ଡି ୧୩୫) ।
b ୧ ଫେବୃଆରୀ, ୧୯୯୧ ପ୍ରହରୀଦୁର୍ଗର ପୃଷ୍ଠା ୨୪-୨୫ ଏବଂ ୧୫ ଜୁନ୍, ୧୯୭୭ର ଇଂରାଜୀ ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା “ଆପଣଙ୍କ ପ୍ରଶ୍ନ”