ଭାଗ ୧୬
ମସୀହଙ୍କ ଆଗମନ
ଯିହୋବା ନାଜରିତୀୟ ଯୀଶୁଙ୍କୁ ପ୍ରତିଜ୍ଞାତ ମସୀହ ରୂପେ ଚିହ୍ନଟ କଲେ
ଯିହୋବା କʼଣ ପ୍ରତିଜ୍ଞାତ ମସୀହଙ୍କୁ ଚିହ୍ନିବା ପାଇଁ ଲୋକଙ୍କୁ ସାହାଯ୍ୟ କରିବେ ? ହଁ ସେ ନିଶ୍ଚୟ ସାହାଯ୍ୟ କରିବେ । ଭାବି ଦେଖନ୍ତୁ ଈଶ୍ୱର କʼଣ କରିଥିଲେ । ଏବ୍ରୀ ଶାସ୍ତ୍ରଗୁଡ଼ିକର ଲେଖା ହେବାର ପ୍ରାୟ ଚାରିଶହ ବର୍ଷ ବିତି ଯାଇଛି । ଗାଲିଲୀର ଉତ୍ତରାଞ୍ଚଳରେ ଅବସ୍ଥିତ ନାଜରିତ ସହରରେ, ମରିୟମ ନାମକ ଜଣେ ଯୁବତୀଙ୍କ ନିକଟକୁ ହଠାତ୍ ଜଣେ ଅତିଥୀ ଆସନ୍ତି । ଗାବ୍ରିଏଲ ନାମକ ଜଣେ ସ୍ୱର୍ଗଦୂତ ତାହାଙ୍କୁ ଦେଖା କରି କହନ୍ତି ଯଦ୍ୟପି ସେ କୁମାରୀ ତଥାପି ଈଶ୍ୱର ତାହାଙ୍କ କାର୍ଯ୍ୟକାରୀ ଶକ୍ତି ଅର୍ଥାତ୍ ପବିତ୍ର ଆତ୍ମା ଦେବେ ଏବଂ ସେ ଗୋଟିଏ ପୁତ୍ର ସନ୍ତାନ ଜନ୍ମକରିବେ । ଏହି ସନ୍ତାନଟି ହେବେ ସେହି ଦୀର୍ଘଦିନର ପ୍ରତିଜ୍ଞାତ ରାଜା, ଯିଏ କି ଚୀରକାଳ ପାଇଁ ଶାସନ କରିବେ ! ଏହି ଶିଶୁଟି ହେବେ ଈଶ୍ୱରଙ୍କ ନିଜ ସନ୍ତାନ, ଯାହାର ଜୀବନକୁ ଈଶ୍ୱର ସ୍ୱର୍ଗରୁ ମରିୟମଙ୍କ ଗର୍ଭକୁ ସ୍ଥାନାନ୍ତରିତ କରିବେ ।
ମରିୟମ ଏହି ଗୁରୁତ୍ୱପୂର୍ଣ୍ଣ କାମଟିକୁ ବିନମ୍ରତାର ସହିତ ଗ୍ରହଣ କରି ନେଇଥିଲେ । ତାହାଙ୍କ ଭାବି ସ୍ୱାମୀ ଯୋଷେଫ ଜଣେ ବଢ଼େଇ ଥିଲେ, ଯେତେବେଳେ ଈଶ୍ୱର ଜଣେ ସ୍ୱର୍ଗଦୂତ ପଠେଇ ତାହାଙ୍କୁ ମରିୟମଙ୍କ ଗର୍ଭବତୀ ହେବାର କାରଣ ବୁଝେଇଲେ, ତାʼପରେ ଯୋଷେଫ ମରିୟମଙ୍କୁ ବିବାହ କଲେ । କିନ୍ତୁ ମସୀହ ଯେ ବେଥଲିହିମରେ ଜନ୍ମହେବେ ବୋଲି ଭବିଷ୍ୟତବାଣୀ କରାଯାଇଥିଲା ସେ ବିଷୟରେ କʼଣ କୁହାଯାଇ ପାରେ ? (ମୀଖା ୫:୨) ସେହି ଛୋଟ ସହରଟି ପ୍ରାୟ ୧୪୦ କି.ମି. ଦୂରେ ଅବସ୍ଥିତ !
ଜଣେ ରୋମୀୟ ଶାସକ ଜନଗଣନା ପାଇଁ ଆଦେଶ ଜାରି କଲେ । ସମସ୍ତ ଲୋକଙ୍କୁ ନିଜ ନିଜ ସହରକୁ ଯାଇ ନାମ ପଞ୍ଜୀକରଣ କରିବାକୁ ହେବ । ସମ୍ଭବତଃ, ଯୋଷେଫ ଓ ମରିୟମ ବେଥଲିହିମର ଲୋକ ତେଣୁ ଯୋଷେଫ ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କୁ ସେଠାକୁ ନେଇ ଯାଇଥିଲେ । (ଲୂକ ୨:୩) ମରିୟମ ସେଠାରେ ଗୋଟିଏ ସାଧାରଣ ଗୁହାଳଘରେ ଶିଶୁଟିକୁ ଜନ୍ମ ଦେଇ ଏକ ଗୁହାଳକୁଣ୍ଡରେ ଶୁଆଇଲେ । ତାପରେ ଈଶ୍ୱର ଅନେକ ସ୍ୱର୍ଗଦୂତମାନଙ୍କୁ ପଠାଇ ପାହାଡ଼ତଳେ ଥିବା ମେଷପାଳକମାନଙ୍କୁ ଜଣେଇଲେ ଯେ ସେହି ଜନ୍ମିତ ଶିଶୁ ହେଉଛନ୍ତି ପ୍ରତିଜ୍ଞାତ ମସୀହ ବା ଖ୍ରୀଷ୍ଟ ।
ଏହାବ୍ୟତୀତ ପରେ ଅନ୍ୟମାନେ ମଧ୍ୟ ଯୀଶୁ ହିଁ ପ୍ରତିଜ୍ଞାତ ମସୀହ ବୋଲି ସାକ୍ଷ୍ୟ ଦେଇଥିଲେ । ଭାବବାଦୀ ଯିଶାଇୟ କହିଥିଲେ, ଯେ ଜଣେ ବ୍ୟକ୍ତି ଆସିବେ ଯିଏକି ମସୀହଙ୍କ ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ପଥ ପ୍ରସ୍ତୁତ କରିବେ । (ଯିଶାଇୟ ୪୦:୩) ସେହି ପଥ ପ୍ରସ୍ତୁତକାରୀ ହେଲେ ବାପ୍ତିଜକ ଯୋହନ । ସେ ଯୀଶୁଙ୍କୁ ଦେଖି କହି ଉଠିଲେ: “ଏହି ଦେଖ, ଈଶ୍ୱରଙ୍କ ମେଷଶାବକ, ଯେ ଜଗତର ପାପ ବହିନେଇଯାଆନ୍ତି !” ଯୋହନଙ୍କ କିଛି ଶିଷ୍ୟମାନେ ସଙ୍ଗେ ସଙ୍ଗେ ଯୀଶୁଙ୍କ ଅନୁଗାମୀ ହେଲେ । ସେମାନଙ୍କ ମଧ୍ୟରୁ ଜଣେ ଏପରି କହନ୍ତି: “ଆମ୍ଭେମାନେ ମସୀହଙ୍କର ଦେଖା ପାଇଅଛୁ ।”—ଯୋହନ ୧:୨୯, ୩୬, ୪୧.
ଏହାଛଡ଼ା ଆଉ କେତେକ ପ୍ରମାଣ ଥିଲା । ଯେତେବେଳେ ବାପ୍ତିଜକ ଯୋହନ ଯୀଶୁଙ୍କୁ ବାପ୍ତିସ୍ମଦେଲେ, ଯିହୋବା ନିଜେ ସ୍ୱର୍ଗରୁ କହିଲେ । ପବିତ୍ର ଆତ୍ମା ଦ୍ୱାରା ସେ ଯୀଶୁଙ୍କୁ ଜଣେ ମସୀହ ରୂପେ ଅଭିଷିକ୍ତ କଲେ ଏବଂ କହିଲେ: “ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ ।” (ମାଥିଉ ୩:୧୬, ୧୭) ଶେଷରେ ଦୀର୍ଘଦିନର ପ୍ରତିଜ୍ଞାତ ମସୀହଙ୍କ ଆଗମନ ହେଲା !
ଏସମସ୍ତ କେବେ ଘଟିଲା ? ୨୯ଖ୍ରୀଷ୍ଟାବ୍ଦରେ, ଅର୍ଥାତ ଦାନିଏଲଙ୍କ ଭବିଷ୍ୟତବାଣୀ ଅନୁସାରେ ଯେତେବେଳେ ୪୮୩ ବର୍ଷ ପୂର୍ଣ୍ଣହେଲା । ହଁ, ଏହା ହିଁ ଥିଲା ଯୀଶୁଙ୍କ ମସୀହ ବା ଖ୍ରୀଷ୍ଟ ହେବାର ଅସାଧାରଣ ପ୍ରମାଣ । କିନ୍ତୁ ପୃଥିବୀରେ ଥିବା ସମୟରେ ସେ କେଉଁ ବାର୍ତ୍ତାର ଘୋଷଣା କରିଥିଲେ ?
—ଏହା ମାଥିଉ ଅଧ୍ୟାୟ ୧ ରୁ ୩; ମାର୍କ ଅଧ୍ୟାୟ ୧; ଲୂକ ଅଧ୍ୟାୟ ୨; ଯୋହନ ଅଧ୍ୟାୟ ୧ ଉପରେ ଆଧାରିତ ।